21-Oct-2024
ଜୟପୁର(ପିଆର) ସଦର ମହକୁମାଠାରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଏକ ବିଶାଳ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ଜୟପୁରର ଅଗ୍ରସେନ ଭବନରେ ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ହୃଦ୍ରୋଗ ବିଭାଗ, ସ୍ନାୟୁରୋଗ ବିଭାଗ, ଅସ୍ଥିଶଲ୍ୟ ବିଭାଗ, ମେଡିସିନ୍ ବିଭାଗର ଅଭିଜ୍ଞ ଡାକ୍ତରମାନେ ଯୋଗ ଦେଇଥିଲେ । ଜୟପୁର ଅଞ୍ଚଳର ୪୦୦ରୁ ଅଧିକ ଲୋକ ଏଠି ମାଗଣାରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଡାକ୍ତରଙ୍କ ପରାମର୍ଶ ନେଇଥିଲେ ।
ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦ୍ଘାଟନ କରିଥିଲେ । ରାଜ୍ୟର ଅନେକ ଅଭିଜ୍ଞ ତଥା ବରିଷ୍ଠ ଡାକ୍ତରଙ୍କୁ ଏକାଠି କରି ଜୟପୁର ଭଳି ଅଞ୍ଚଳରେ ମାଗଣାରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିବାରୁ ଶ୍ରୀଯୁକ୍ତ ବାହିନୀପତି ମଣିପାଲ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ଜୟପୁର ଅଞ୍ଚଳର ଅନେକ ଗରୀବ ରୋଗୀ ଭୁବନଶ୍ୱର ଯାଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ତଥା ଡାକ୍ତରଙ୍କ ପରାମର୍ଶ ନେବା ସମ୍ଭବପର ନଥିଲା, ହେଲେ ମଣିପାଲ ହସ୍ପିଟାଲର ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜନ ଫଳରେ ସେମାନ ମାଗଣାରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେଥିପାଇଁ ସେ ପୁଣିଥରେ ମଣିପାଲ ହସ୍ପିଟାଲର ସମସ୍ତ ଡାକ୍ତର, ନର୍ସ ତଥା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଓ ସାଧୁବାଦ ଜଣାଇଥିଲେ ।
ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର କହିଥିଲେ, “ ଆମର ଏହି ମେଗା ସ୍ୱାସ୍ଥ୍ୟ ଶିବିରର ସଫଳତା ପାଇଁ ଆମେ ଅତ୍ୟନ୍ତ ଖୁସି । କେବଳ ରୋଗର ଚିକିତ୍ସା ନୁହେଁ, ବରଂ ସାଧାରଣ ଲୋଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରାଇବା ମଧ୍ୟ ମଣିପାଲ ହସ୍ପିଟାଲର ଲକ୍ଷ୍ୟ” । ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏମିତି ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଯିବ । ପିଆର ରିପୋର୍ଟ ଜିଟିଭି ଭାରତ ଓଡିଆ