06-Jul-2024
ନୂଆଦିଲ୍ଲୀ: ଏକ ସର୍ଭେ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରାୟ ୪.୯% ଶିଶୁ ଓ କିଶୋର କିଡ୍ନି ସମସ୍ୟାରେ ପୀଡ଼ିତ। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ- ଭଟିଣ୍ଡା ଓ ବିଜୟପୁର ଏବଂ ଜର୍ଜ ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ ହେଲ୍ଥ ଇଣ୍ଡିଆର ଗବେଷକଙ୍କ ଦ୍ୱାରା ୨୦୧୬ରୁ ୨୦୧୮ ମଧ୍ୟରେ ୫ରୁ ୧୯ ବର୍ଷ ବୟସର ୨୪,୬୯୦ ଶିଶୁ ଓ କିଶୋରଙ୍କୁ ନେଇ ଏହି ନୂତନ ଅଧ୍ୟୟନ କରାଯାଇଥିଲା, ଯାହା ବ୍ୟାପକ ଜାତୀୟ ପୋଷଣ ସର୍ବେକ୍ଷଣ ଉପରେ ଆଧାରିତ ଥିଲା।ଫଳାଫଳରୁ ଜଣାପଡିଛି ଯେ ୪.୯% ଶିଶୁ ଓ କିଶୋର ଦୁରାରୋଗ୍ୟ କିଡ୍ନି ସମସ୍ୟାରେ ପୀଡ଼ିତ। ବୟସ, ଗ୍ରାମୀଣ ବାସସ୍ଥାନ, ମାତାଙ୍କ ଶିକ୍ଷାର ଅଭାବ ଓ ପୁଷ୍ଟିହୀନତା ଏହାର ପ୍ରମୁଖ କାରଣ ମଧ୍ୟରୁ ଅନ୍ୟତମ। ଶିଶୁ ସ୍ୱାସ୍ଥ୍ୟ ଫଳାଫଳରେ ଉନ୍ନତି ଆଣିବା ପାଇଁ ଏସବୁ ବିଷୟର ସମାଧାନ କରିବା ଜରୁରୀ ବୋଲି ଜର୍ଜ ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ ହେଲ୍ଥ, ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ବିବେକାନନ୍ଦ ଝା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି।
ଏହି କିଡ୍ନି ସମସ୍ୟା ବିଶେଷ କରି ପୁଅପିଲାଙ୍କଠାରେ ଓ ଗ୍ରାମାଞ୍ଚଳରେ ଅଧିକ ଦେଖିବାକୁ ମିଳିଥିଲା। ସେହିପରି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁ, ଛତିଶଗଡ଼, ରାଜସ୍ଥାନ ଓ କେରଳରେ ଏହା ସର୍ବନିମ୍ନ ରହିଛି। ବିବେକାନନ୍ଦ ଝା ଉଲ୍ଲେଖ କରିଛନ୍ତି ଯେ ଏହି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ସ୍ବତନ୍ତ୍ର ନୀତି ଆବଶ୍ୟକ। ଜାତୀୟ ସ୍ୱାସ୍ଥ୍ୟରେ ଶିଶୁ କିଡ୍ନି ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାର ସମୟ ଆସିଛି ବୋଲି ଝା କହିଛନ୍ତି।
ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।