29-Sep-2025
ନୂଆଦିଲ୍ଲୀ:ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ବିହାରରେ ୭ଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି । ସେଥୁମଧ୍ୟରୁ ୩ଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ମୁଜାଫରପୁରରୁ ଚାର୍ଲାପଲି, ଦରଭଙ୍ଗାରୁ ମାଦର ଜଙ୍କ୍ସନ୍ ଏବଂ ଛପ୍ରାରୁ ଆନନ୍ଦବିହାର ଟର୍ମିନାଲ୍ ଯାଏଁ ଗଡ଼ିବ ।ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଭାସୀ ଜରିଆରେ ନୂଆଦିଲ୍ଲୀରୁ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପାଟନା ଜକ୍ସନ୍ରେ ଏହି ଟ୍ରେନ୍ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।୪ଟି ଯାତ୍ରୀବାହୀ ଟ୍ରେନ୍ ନୱାଡ଼ା, ଇସ୍ଲାମପୁର, ବକ୍ଟର ଏବଂ ଝାଝା କୁ ସଂଯୋଗ କରିବ । ନୂଆ ତିନୋଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ରାଜ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବା ସହ ବିକଶିତ ଭାରତର ସ୍ୱପ୍ନ ପୂରଣ ଦିଗରେ ସହାୟକ ହେବ ବୋଲି କୁହାଯାଇଛି।ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଯେଉଁ ଅଞ୍ଚଳରେ ରେଳବାଇର ବିକାଶ ଆଖିଦୃଶିଆ ହୋଇପାରି ନାହିଁ ସେହିସବୁ ଅଞ୍ଚଳ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି । ସେ କହିଛନ୍ତି, ପୂର୍ବରୁ ରେଳ ବଜେଟ୍ ମାତ୍ର ୧ ହଜାର କୋଟିରେ ସୀମିତ ରହୁଥିବା ବେଳେ ଏବେ ଏହାକୁ ୧୦ ହଜାର କୋଟିକୁ ବୃଦ୍ଧି କରାଯାଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ବିହାରରେ ଅନେକ ଗୁଡ଼ିଏ ପ୍ରକଳ୍ପ ଶେଷ ହୋଇଥିବା ବେଳେ ଚଳିତ ଦୀପାବଳି ଏବଂ ଛଟ୍ ପର୍ବ ସମୟରେ ୧୨ ହଜାରରୁ ଅଧିକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ।
ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।