02-Oct-2025
ଭୁବନେଶ୍ବର: ସାରା ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ଯେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି। ବିଶେଷ କରି ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ-ଏହି ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଲଘୁଚାପଟି ଅବପାତରେ ପରିଣତ ହେବା ପରେ ମଧ୍ୟ ରାଜ୍ୟରେ ଏହାର ପ୍ରଭାବ ରହିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଏବଂ ଗଜପତି ଜିଲ୍ଲାରେ ଅତି ପ୍ରବଳ ବର୍ଷା (ଅରେଞ୍ଜ ୱାର୍ଣ୍ଣିଂ) ହୋଇପାରେ ବୋଲି ସତର୍କତା ଜାରି ରହିଛି। ଏହି ଅଞ୍ଚଳଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହିତ ୪୦ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ଅଛି।ସେହିପରି, ଆସନ୍ତାକାଲି ଅର୍ଥାତ୍ ୨ ତାରିଖରେ ମଧ୍ୟ ରାଜ୍ୟର ଅନ୍ୟ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେଉଁଝର, ବାଲେଶ୍ଵର, ମୟୂରଭଞ୍ଜ, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼ ଏବଂ ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ମେଘ ଗଜ୍ଜନ ସହିତ ପ୍ରବଳ ବର୍ଷା ଏବଂ ୪୦ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଛି।
ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।