17-Apr-2026
ରାୟଗଡ(ପିଆର),ତା ୧୬/୦୪/୨୬ ରିଖ ଅପରାହ୍ନ ପ୍ରାୟ ୧୨.୩୦ ସମୟରେ ରାୟଗଡ଼ା ଜିଲ୍ଲା ଡମ୍ ସମାଜର ସଭାପତି ଶ୍ରୀ ଧନୀରାମ ନାଏକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସିଜିମାଳି ଅଞ୍ଚଳର କଣ୍ଟାମାଳ ଓ ସାଗବାରି ଘଟଣା ସମ୍ପର୍କରେ ରାୟଗଡ଼ା ଜିଲ୍ଲା ପାଳଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବୀପତ୍ର ପ୍ରଦାନ କରିବାକୁ ଯାଇଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ଜିଲ୍ଲାପାଳ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ନାୟକଙ୍କୁ ସ୍ମାରକ ପତ୍ର ବା ମେମୋରଣ୍ଡମ୍ ପ୍ରଦାନ କରିଛନ୍ତି | ଉକ୍ତ ଦାବୀପତ୍ରକୁ ଗ୍ରହଣ କରିଥିଲେ ଓ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି, ଓଡ଼ିଶା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଖଣି ମନ୍ତ୍ରୀ ଓ ଖଣି ନିର୍ଦ୍ଦେଶକଙ୍କୁ ଜ୍ଞାପନ ପ୍ରଦାନ କରାଯାଇଛି। ଆଲୋଚନା ସମୟରେ ଡମ୍ ସମାଜର ପ୍ରତିନିଧି ମାନେ ପ୍ରଥମେ ଏହି ଅମାନବୀୟ , ଅମାନୁଷିକ ଘଟଣା ଉପରେ ଦୁଃଖ ପ୍ରକାଶ କରିଥିଲେ। ଉଭୟ ପକ୍ଷର ଆହତ ମାନଙ୍କ ପ୍ରତି ଡମ୍ ସମାଜର ପ୍ରତିନିଧି ମାନେ ସମବେଦନା ଜଣାଇଥିଲେ।ସିଜିମାଳି ଅଞ୍ଚଳ ର କଣ୍ଟାମାଳ, ବନ୍ତେଜି ଓ ଶାଗବାରି ଗ୍ରାମର ଗ୍ରାମ ବାସୀଙ୍କ ବୟାନ ଓ ସେ ଅଞ୍ଚଳର ବିଭିନ୍ନ ତଥ୍ୟ ପରିସ୍ଥିତିକୁ ଆଧାର କରି ରାୟଗଡ଼ା ଡମ୍ ସମାଜ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଉପରେ ଆଲୋଚନା ହୋଇଥିଲା।
ଏପ୍ରିଲ ୭ ତାରିଖ ଘଟଣା ପୂର୍ବରୁ ଓ ପରେ ସେ ଅଞ୍ଚଳ ର ଜନସାଧାରଣ ,ମାଆ ଭଉଣୀ, ନାବାଳକ ନାବାଳିକା ମାନଙ୍କ ଜନ ଜୀବନ କିଭଳି ଅସ୍ତ ବ୍ୟସ୍ତ ହୋଇଛି, କିଭଳି ଗଭୀର ଭାବେ ପ୍ରଭାବିତ ହୋଇଛି, ବର୍ତ୍ତମାନ ସେମାନେ କିଭଳି କରୁଣ ପରିସ୍ଥିତିରେ ଅଛନ୍ତି ଓ ସେମାନଙ୍କ ସହ କିଭଳି ଅମାନୁଷିକ ଭାବେ ଅନ୍ୟାୟ ଅତ୍ୟାଚାର କରାଯାଉଛି ତାହା ସେମାନେ ବଖାଣି ଥିଲେ। ଗ୍ରାମର ପଶୁ ,ପିଲାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ମାର୍କେଟ ଯିବା ଉପରେ ସମସ୍ୟା ବଢ଼ି ଯାଇଛି। ସେ ଗାଁ ମାନଙ୍କର ଡମ୍ ପରିବାର ମାନେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଘଟଣା ଦିନ ଅନେକଗୁଡ଼ିଏ ଗାଡ଼ି ଘର ଭାଙ୍ଗି ଯିବାର ମଧ୍ୟ ସେମାନେ ବୟାନ ଦେଇଛନ୍ତି। ଅନେକ ଡମ୍ ସଂପ୍ରଦାୟ ର ଲୋକ ଓ ଆଦିବାସୀ ଭାଇ ମାନେ ଜେଲ୍ ଯାଇଛନ୍ତି। ଉଭୟ ସଂପ୍ରଦାୟ ର ଅନେକ ଲୋକ ଦୀର୍ଘ ଦିନ ଧରି ଭବାନିପାଟଣା ଓ ରାୟଗଡ଼ା ଜେଲ୍ ରେ ରହିବା ପରେ ଏଵେ ଏବେ ଜେଲ୍ ରୁ ମୁକ୍ତ ହୋଇଛନ୍ତି।ଡ୍ରୋନ୍ କ୍ୟାମେରା ଉଡ଼ିବା ଯୋଗୁଁ ମାଆ , ଭଉଣୀ ନଦୀ ନାଳ କୁ ଯାଇ ପାରୁନାହାନ୍ତି। ଡମ୍ ସମାଜକୁ ଶିଜିମାଳି ଅଞ୍ଚଳର ଲୋକ ଏକ ଲିଖିତ ଦସ୍ତାବେଜ ପ୍ରଦାନ କରିଛନ୍ତି। ଯେଉଁଥିରେ ସେମାନେ ପ୍ରସାଶନ ଦ୍ୱାରା ଅନେକ ଅନ୍ୟାୟ ପୂର୍ଣ୍ଣ ନିର୍ଣ୍ଣୟ, ଅସାମ୍ବିଧାନିକ ନିର୍ଣ୍ଣୟ ଗୁଡ଼ିକୁ ଉଲ୍ଳେଖ କରିଛନ୍ତି।
ଏସବୁ ତଥ୍ୟ କୁ ଆଧାର କରି ଓ ଜିଲ୍ଲା ଡମ୍ ସମାଜ ଦ୍ୱାରା ଗତ ତା ୧୧/୦୪/୨୬ ରିଖ ସିଜିମାଳି ଅଞ୍ଚଳ ଗସ୍ତ ଓ ତଥ୍ଯ ସଂଗ୍ରହ କୁ ଭିତ୍ତି କରି ଜିଲ୍ଲା ଡମ୍ ସମାଜ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ଆଜି ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଅଞ୍ଚଳ ରେ ଜନ ଜୀବନ କିଭଳି ସ୍ୱାଭାବିକ ହୋଇ ପାରିବ ତାହା ଉପରେ ଗୁରୁତ୍ୱ ଦେବା ସହ ସେ ଅଞ୍ଚଳ ବାସୀ ଙ୍କ ଭାବନାକୁ ସମ୍ମାନ ଓ ଅଗ୍ରାଧିକାର ଏବଂ ପୂର୍ବ ଗ୍ରାମ ସଭା କୁ ବାତିଲ କରି ପୁନଃ ଗ୍ରାମ ସଭା କରିବାର ବିଚାର କରିବାକୁ ଜିଲ୍ଳା ଡମ୍ ସମାଜ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛି।
ପ୍ରତିନିଧି ଦଳ ରେ ସଭାପତି ଉପସଭାପତି, କାର୍ଯ୍ୟକାରୀ ସଭାପତି, ସାଧାରଣ ସମ୍ପାଦକ ଓ ସମ୍ପାଦକ ମାନେ ଉପସ୍ଥିତ ଥିଲେ।