17-Apr-2026
ଭୁବନେଶ୍ୱର,(ପିଆର), ତା. ୧୫/୦୪ ଐତିହାସିକ ଧଉଳି ଶାନ୍ତି ସ୍ତୂପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟ ଦ୍ଵାରା ବିଶ୍ଵ କଳା ଦିବସକୁ ନିଆରା ଢଙ୍ଗରେ ପାଳିଛନ୍ତି ଚିତ୍ରଶିଳ୍ପୀ। ପୃଥିବୀ ପ୍ରସିଦ୍ଧ ଚିତ୍ରଶିଳ୍ପୀ ଲିଓନାର୍ଡୋ ଦାଭିଞ୍ଚିଙ୍କ ଜନ୍ମଦିନ ରେ ଓଡ଼ିଶାର ଶିଳ୍ପୀ ମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ରେ ଆୟୋଜିତ ଏକ ୩୦ ଜଣିଆ ଚିତ୍ରକଳା ଶିବିରକୁ ଉଦ୍ଘାଟନ କରି ମୁଖ୍ୟ ଅତିଥି ଭାବେ ବରିଷ୍ଠ ଚିତ୍ରଶିଳ୍ପୀ ଗୌରାଙ୍ଗ ବାରିକି, ଶୁକଦେବ ମହାରଣା ଯୁବଶିଳ୍ପୀ ମାନଙ୍କୁ କଳାରେ ନିରବଚ୍ଛିନ୍ନ ସାଧନା କରିବା ଦ୍ୱାରା ସଫଳତା ପାଇବା ସମ୍ପର୍କରେ ବୁଝାଇଥିଲେ। ସମ୍ମାନିତ ଅତିଥି ଭାବେ ଚିନ୍ତାମଣି ବିଶ୍ଵାଳ, ସରସୀ ଦାସ, ଫିର୍ଦୋଷୀ ତବସୁମ ପ୍ରମୁଖ ମହା ବିଦ୍ୟାଳୟ ଦ୍ଵାରା ଆୟୋଜିତ ଏହି ଉତ୍ସବ ଓଡ଼ିଶାର କଳା ଓ ସଂସ୍କୃତିକୁ ଆଗକୁ ବଢ଼ିବାକୁ ସହାୟକ ହେଉଥିବା ମତ ପ୍ରଦାନ କରିଥିଲେ।ଉତ୍ସବରେ ପ୍ରଦର୍ଶିତ ୧୬ ଫୁଟରେ ୫ ଫୁଟର ଏକ ବୃହତ୍ ଚିତ୍ରକଳା ମାଧ୍ୟମରେ ଶିଳ୍ପୀମାନେ ସମସାମୟିକ ଚିତ୍ରକଳା ଶୈଳୀ ଓ ଓଡ଼ିଶାର ସଂସ୍କୃତିକୁ ଏକ ନିଆରା ଢଙ୍ଗରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ. ପଞ୍ଚାନନ ସାମଲ ଅତିଥି ପରିଚୟ ସହ ବିଶ୍ଵ କଳା ଦିବସର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ ଓ ସମ୍ପାଦକ ରବିଶଙ୍କର ଦାସ ବିବରଣୀ ପାଠ କରିଥିଲେ।ଏହି କାର୍ଯ୍ୟକ୍ରମ ଅବସରରେ ରବୀନ୍ଦ୍ର ମହାରଣା, ସୋମନାଥ ଦାସ, ସୁଶାନ୍ତ କୁମାର ସିଂ ସାମନ୍ତ, ଅବନ୍ତି ମହାରଣା, ଜ୍ୟୋତି ରଞ୍ଜନ ସାହୁ, ମାନସ କୁମାର ମହାରଥୀ ଓ ଖିରସିନ୍ଧୁ ଭୋଇ ଆଦି ଯୁବ ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ସହିତ ଓଡ଼ିଶାର କଳାକୁ ବିଶ୍ଵ ଦରବାରରେ ପହଞ୍ଚାଇବାରେ ସହାୟକ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।