13-Dec-2025
ରାୟଗଡ଼(ପିଆର) ତା ୧୨-୧୨-୨୦୨୫ ରିଖ ରାୟଗଡ଼ ସଦର ବ୍ଲକରେ ଲୋକ ମହୋତ୍ସବ ଚଇତି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପୁର୍ବାହ୍ନ ନଅ ଘଟିକା ସମୟରେ ବାରିଝୋଲା ଗ୍ରାମଦେବୀଙ୍କ ମନ୍ଦିରରୁ କଳସ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା ପରେ ଶ୍ରୀହନୁମାନ ମନ୍ଦିର ନିକଟସ୍ଥ ଚଇତି ମଣ୍ଡପରେ ପହଞ୍ଚିଥିଲା । ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ଓ ନୃତ୍ଯ, ଭଜନ, କୀର୍ତ୍ତନ ସହ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ୨୮ ଗୋଟି ଗ୍ରାମ ପଞ୍ଚାୟତର ପବିତ୍ର କଳସ ସହ ବ୍ଲକର ମୁଖ୍ଯ କଳସକୁ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଏଥିରେ ଜନ ସଚେତନତା ପାଇଁ ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ, ସମ୍ମାନିତ ହେଲେ ଅନନ୍ୟ ପ୍ରତିଭା ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ |
ପୂର୍ବାହ୍ନରେ ପୂର୍ବତନ ଉପବାଚସ୍ପତି ଲାଲବିହାରୀ ହିମିରିକା ଓ ଅପରାହ୍ଣରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝୀ ମୂଖ୍ଯ ଅତିଥିରୂପେ ଯୋଗ ଦେଇ ସଚେତନତା ଷ୍ଟଲ ଏବଂ ଚଇତି ମଣ୍ଡପର ଶୁଭ ଉଦଘାଟନ ଓ ପରିଦର୍ଶନ କରିଥିଲେ । ବନ୍ଦେ ଉତ୍କଳ ଜନନୀ ଗାନପରେ ମଞ୍ଚାସୀନ ଅତିଥିବୃନ୍ଦ ରାୟଗଡ ମାଟିରେ ଲୁକ୍କାୟିତ କଳା, ସଂସ୍କୃତି, ପରମ୍ପରା, ସଂଗୀତ, ନୃତ୍ଯ ଆଦିର ସମାଜରେ ଚାହିଦା, ଏହାକୁ ଉଜ୍ଜିବିତ ରଖିବା ନିମନ୍ତେ ପ୍ରଶାସନର ଏ ଅଭିନବ ପ୍ରୟାସ ଭୂୟଷୀ ପ୍ରଶଂସା କରିଥିଲେ । ରାଜନୈତିକ ଅଭିସନ୍ଧିକୁ ଏଥିରୁ ଦୂରରେ ରଖି ଏଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ଏ ମାଟିର ସଂସ୍କୃତି ବଞ୍ଚିରହିବ ବୋଲି ଅତିଥିବୃନ୍ଦ ମତ ପୋଷଣ କରିଥିଲେ । ମଞ୍ଚରେ କେନ୍ଦ୍ରୀୟ ଆଦିବାସୀ ଜନଜାତି ମୋର୍ଚ୍ଚାର ସାଧାରଣ ସମ୍ପାଦକ କାଳୀରାମ ମାଝୀ, ଆଦିବାସୀ ସମାଜର ଜିଲ୍ଲା ସ୍ତରୀୟ ପ୍ରତିନିଧି ତଥା ସମାଜସେବୀ ବସନ୍ତ ଉଲାକା, ବ୍ଳକ କଳା ଓ ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ ତାଣ୍ଡି, ବିଡିଓ ସୁଜିତ କୁମାର ମିଶ୍ର, ଏବିଡିଓ କାଳୁଚରଣ ନାୟକ, ସ୍ଥାନୀୟ ହାଲୁଆ ଗ୍ରାମ ପଞ୍ଚାୟତ ସରପଞ୍ଚ ତାମାରାଓ ବିଡିକା, ରାୟଗଡ ରେଞ୍ଜ ଅଧିକାରୀ କାମେଶ୍ଵର ଆଚାରୀ, ଜେମାଦେଇପେଣ୍ଠ ଜନସ୍ବାସ୍ଥ୍ୟ ଅଧିକାରୀ ଡ: ଭୋଗୀ ସନ୍ତୋଷ କୁମାର ପ୍ରମୂଖ ମଞ୍ଚାସୀନ ଥିଲେ।
ମୋଟ ୩୬ ଗୋଟି ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିଥିଲେ । ରାୟଗଡ ମାଟିର ପ୍ରଖ୍ୟାତ କଳାକାର ବୃନ୍ଦ ପ୍ରଭାକର ମିଶ୍ର, ଗୋପିନାଥ ପରିଛା, ସୁନିଲ ଖୋରା ଓ ସନ୍ତୋଷ ତାଣ୍ଡି ବିଚାରକ ଦାୟିତ୍ବ ନିର୍ବାହ କରିଥିଲେ ।ଏହା ବ୍ୟତିତ ମାଁ ସନ୍ତୋଷୀ କଳା ପ୍ରତିଷ୍ଠାନ ଓ ଜେ ଏ ଏସ ଆକାଡେମୀ ତରଫରୁ ଜଙ୍ଗଲ, ସ୍ବାସ୍ଥ୍ୟ, ସାଇବର, ଶିକ୍ଷା, ଅପରାଧ, ନିଶାସେବନ ଗାଡି ଚାଳନା, ହେଲମେଟ ବ୍ୟବହାର ଓ ସଡକ ସୁରକ୍ଷା ଆଦି ବିଷୟମାନଙ୍କୁ ନେଇ ସଚେତନ ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଭାକର ମିଶ୍ର ଓରଫ ଟୁନା ଟନଟନ ମଞ୍ଚ ରେ ନିଜର ଆକର୍ଷଣୀୟ କମେଡି ମାଧ୍ୟମରେ ସମସ୍ତଙ୍କ ମନ ଜିଣିଥିଲେ ।
ଏହି ଅବସରରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ସହଯୋଗରେ ରକ୍ତଦାନ ଶିବିର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଆୟୋଜିତ ହୋଇ ୩୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।
ଜଙ୍ଗଲ, କୃଷି,ସ୍ବାସ୍ଥ୍ୟ, ମହିଳା ଓ ଶିଶୁବିକାଶ, ପ୍ରାଣୀଧନ, ଶିକ୍ଷା, ଜଳଛାୟା, ସ୍ବଚ୍ଛ ଭାରତ ମିଶନ,ଆବାସ ଯୋଜନା, ମନରେଗା ତଥା ବାରିଝୋଲାର ଶ୍ରୀରାମ ଏବଂ କଣ୍ଟା ବାଉଁଶୁଣୀ ଏସଏଚଜି, କତାପେଟା ର ଜଗନ୍ନାଥ ଏସଏଚଜି,ଅମଳାଭଟାର ଶ୍ରୀ ଗଙ୍ଗାୟା ଏସଏଚଜି ଷ୍ଟଲ ମାଧ୍ୟମରେ ସଚେତନ ଷ୍ଟଲ ପ୍ରଦର୍ଶନ କରିଥିଲେ ।
ଉତ୍କୃଷ୍ଟ ସେବା ନିମନ୍ତେ ଦଶଜଣ ସମାଜସେବୀ, ତିନିଜଣ ସାମ୍ବାଦିକ, ଜଣେ ରାଜ୍ୟ ପାରା ଅଲିମ୍ପିକ ଦିବ୍ୟାଙ୍ଗ ଖେଳାଳୀ ଓ ତୃତୀୟଲିଙ୍ଗଙ୍କୁ ଓ ଉପସ୍ଥିତ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା ।
ଉତ୍ତମ ବିଭାଗୀୟ ସେବା ନିମନ୍ତେ ଜଙ୍ଗଲ ବିଭାଗରୁ ସନ୍ତୋଷ କୁମାର ପାଣିଗ୍ରାହୀ, ଗାର୍ଡ ଓ ଉଦ୍ୟାନ ବିଭାଗର ହେମନ୍ତ କୁମାର ବେହେରା, ଏଏଚଓଙ୍କୁ ସମ୍ମାନିତ କରାଯାଇଥିଲା ।
ସୁନାମଧନ୍ଯ ଉଦଘୋଷିକା ବିଦିଶା ଶତପଥି ଓ ପ୍ରତିଷ୍ଠିତ ସାହିତ୍ୟିକ ଶ୍ରୀଧର ପଟ୍ଟନାୟକ ମଞ୍ଚ ପରିଚାଳନା ଚାରିହଜାର ଦର୍ଶକଙ୍କୁ ରାତ୍ର ଆଠଘଣ୍ଟା ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଶିକ୍ଷକ ନୀଳାଞ୍ଚଳ ମିଶ୍ର ମଞ୍ଚରେ ସହଯୋଗ କରିଥିଲେ । ସରପଞ୍ଚ ତାମାରାଓ ବିଡିକା ଏବଂ ରାୟଗଡ ବ୍ଲକର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିବାରୁ ବିଡିଓ ସୁଜିତ ମିଶ୍ର ସଭିଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି ।