17-Apr-2026
ରାୟଗଡା(ପିଆର),ତା. ୧୬.୦୪.୨୦୨୬ - ସେଞ୍ଚୁରିଆନ ପବ୍ଲିକ୍ ସ୍କୁଲ ସି ବି ଏସ ସି ଦଶମ ବୋର୍ଡ ପରୀକ୍ଷାରେ ଅସାଧାରଣ ଫଳାଫଳ ପ୍ରଦର୍ଶନ କରି ଏକ ନୂତନ ଇତିହାସ ରଚନା କରିଛି। ଏହି ବର୍ଷ ମୋଟ ୧୭୬ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ବେଳେ, ସମସ୍ତେ ସଫଳତା ହାସଲ କରି ୧୦୦% ରିଜଲ୍ଟ ରେକର୍ଡ କରିଛନ୍ତି।
ଏହି ସଫଳତାର ଶିଖରରେ ରହିଛନ୍ତି ମଧୁସ୍ମିତା ରାଜଗୁରୁ, ଯିଏ ୯୪ % ମାର୍କ୍ସ ହାସଲ କରି ସ୍କୁଲର ଟପର୍ ହୋଇଛନ୍ତି। ପି. ଲକ୍ଷ୍ମୀ ସରନ୍ୟା ୯୩ % ମାର୍କ୍ସ ହାସଲ କରି ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ, ଟି. ତେଜଶ ୯୨ % ମାର୍କ୍ସ ହାସଲ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ସଫଳତା ସମଗ୍ର ସ୍କୁଲ ଓ ପରିବାର ପାଇଁ ଗର୍ବର ବିଷୟ ପାଲଟିଛି ।
ଏହାସହ ଏହି ବର୍ଷ ୯୦% ରୁ ଅଧିକ ମାର୍କ୍ସ ପାଇ ୮ ଜଣ ଛାତ୍ରଛାତ୍ରୀ ରହିଛନ୍ତି, ଯେଉଁମାନେ, ସ୍କୁଲର ଉତ୍କୃଷ୍ଟ ଶିକ୍ଷାମାନକୁ ପ୍ରମାଣିତ କରିଛନ୍ତି। ତଦୁପରି, ୮୦% ରୁ ଅଧିକ ମାର୍କ୍ସ ପାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମୋଟ ପରୀକ୍ଷାର୍ଥୀଙ୍କର ପ୍ରାୟ ୪୦% ଅଟେ, ଯାହା କି ଏକ ଅପୂର୍ବ ସଫଳତା ଭାବେ ପରିଗଣିତ ହୋଇଛି ।
ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀ ମଣ୍ଡଳୀଙ୍କ ନିଷ୍ଠା, ଛାତ୍ରଛାତ୍ରୀଙ୍କ ଅନବରତ ପ୍ରୟାସ ଓ ଅଭିଭାବକମାନଙ୍କ ସହଯୋଗ ଫଳରେ ଏହି ଚମତ୍କାରୀ ସଫଳତା ସମ୍ଭବ ହୋଇଛି ବୋଲି ସମଗ୍ର ଅଂଚଳରେ ଚର୍ଚାର ବିଷୟ ପାଲଟିଛି । ସ୍କୁଲ ପରିଚାଳନା ପକ୍ଷରୁ ଆଞ୍ଚଳିକ ନିର୍ଦେଶକ ଡ଼. ରାଜେଶ କୁମାର ପାଢ଼ୀ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିବା ସହ ଭବିଷ୍ୟତରେ ଏହି ସଫଳତାକୁ ଆହୁରି ଉଚ୍ଚ ସ୍ଥାନକୁ ନେବା ପାଇଁ ଆଶା ପ୍ରକଟ କରିଛନ୍ତି ।