10-May-2024
ନୂଆଦିଲ୍ଲୀ: ଚଳିତ ବର୍ଷରୁ ଦେଶରେ ପିସି ଏବଂ ସର୍ଭର ଉତ୍ପାଦନ ଆରମ୍ଭ କରିବେ ୧୭ କମ୍ପାନି। ଏନେଇ ସୂଚନା ଦେଇଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ସଚିବ ଏସ କ୍ରିଷ୍ଣନ୍। ଶୁକ୍ରବାର ସେ କହିଛନ୍ତି ଆଇଟି ହାର୍ଡଓୟାର ଉତ୍ପାଦନ-ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଅନୁଯାୟୀ ଚୟନ ହୋଇଥିବା ପିସି ଏବଂ ସର୍ଭର ନିର୍ମାତାଙ୍କ ମଧ୍ୟରୁ ଅଧିକାଂଶ ଏହି ବର୍ଷରେ ଉତ୍ପାଦନ ଆରମ୍ଭ କରିବା ନେଇ ଅନୁମାନ କରାଯାଉଛି।ନେଟଓ୍ବେଭ ଟେକ୍ନୋଲୋଜିର ଏକ ନୂଆ ଅତ୍ୟାଧୁନିକ କମ୍ପ୍ୟୁଟିଙ୍ଗ୍ ସର୍ଭର ନିର୍ମାଣ ୟୁନିଟ୍ର ଉଦ୍ଘାଟନ ଅବସରରେ, କ୍ରିଷ୍ଣନ କହିଛନ୍ତି ‘‘୨୭ ପିଏଲଆଇ କମ୍ପାନି ମଧ୍ୟରୁ ପ୍ରାୟ ୧୭ କମ୍ପାନି ଚଳିତ ବର୍ଷ ଉତ୍ପାଦନ ଆରମ୍ଭ କରିବେ। ଏଥି ମଧ୍ୟରୁ ପ୍ରାୟ ଛଅ-ସାତ ଗତ ବର୍ଷ ଉତ୍ପାଦନ ଆରମ୍ଭ କରିଥିଲେ। ଆଉ ଦୁଇ କମ୍ପାନି ଆସନ୍ତା ବର୍ଷରୁ ଉତ୍ପାଦନ ଆରମ୍ଭ କରିବା ନେଇ ଯୋଜନା ରହିଛି। ସରକାର ୨୦୨୩ ନଭେମ୍ବରରେ ଆଇଟି ହାର୍ଡଓୟାର ପାଇଁ ନୂଆ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନା ଅନୁଯାୟୀ, ଡେଲ, ଏଚପୀ, ଫକ୍ସକନ, ଲେନୋଭୋ, ନେଟଓ୍ବେଭ ଟେକ୍ନୋଲୋଜି ସହ ୨୭ କମ୍ପାନିଙ୍କ ଆବେଦନକୁ ମଞ୍ଜୁରୀ ମିଳିଥିଲା। ସେହିଭଳି ଆଇଟି ହାର୍ଡଓୟାର ଯୋଜନାରେ ଯେଉଁ ବଡ଼ ନାଁକୁ ମଞ୍ଜୁରୀ ମିଳିଛି ସେଥିରେ ଫ୍ଲେକ୍ସଟ୍ରନିକ୍ସ, ଭିଭିଡିଏନ ଏବଂ ଅପ୍ଟିମସ୍ ସାମିଲ ରହିଛି। ଯେଉଁ ଅନ୍ୟ ଆବେଦକଙ୍କ ମଧ୍ୟରେ ରହିଛନ୍ତି ପ୍ୟାଡଗେଟ୍ ଇଲେକ୍ଟେ୍ରାନିକ୍ସ, ଏସଓଜେଓ ମ୍ୟାନୁଫ୍ୟାକଚରିଂ ସର୍ଭିସେଜ୍, ଗୁଡଓ୍ବର୍ଥ, ନିୟୋଲିଙ୍କ, ସିରମା ଏସଜିଏସ, ମେଗା ନେଟଓ୍ବର୍କ୍ସ, ପାନାଚେ ଡିଜିଲାଇଫ ଏବଂ ଆଇଟିଆଇ ଲିମିଟେଡ ରହିଛନ୍ତି ।ଏହା ସହ କ୍ରିଷ୍ଣନ ୧୦,୩୭୨ କୋଟି ଟଙ୍କାର ଭାରତ ଏଆଇ ମିଶନ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଏହି ମିଶନ ଅନୁଯାୟୀ, ଘରୋଇ କମ୍ପାନିଙ୍କୁ ପ୍ରାଥମିକତା ମିଳିବ।
ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।