20-Jan-2022
ଜୀବନରେ ସଂଯମ ଓ ସଦାଚାରର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଏହା ଉଚ୍ଚ ନୈତିକ ଚିନ୍ତାଧାରାର ଜନ୍ମଦାତା ଯାହାର ଅଭାବରେ ମଣିଷ ସୁଅ ମୁହଁର ପତର ଭଳି ଭାସିଯାଇଥାଏ । ସଂଯମ ଓ ସଦାଚାରନେଇ ନିମ୍ନୋକ୍ତ ପ୍ରସଙ୍ଗ । ସିକାଗୋ(ଆମେରିକା) ବିଶ୍ୱ ଧର୍ମସମ୍ମିଳନୀରୁ ଫେରିବା ବାଟରେ ଧର୍ମପ୍ରଚାର ଉଦ୍ଦେଶ୍ୟରେ ସ୍ୱାମୀ ବିବେକାନନ୍ଦ ଫ୍ରାନ୍ସରେ ପହଞ୍ଚିଲେ । ପାଶ୍ଚାତ୍ୟ ସଂସ୍କାରଯୁକ୍ତ ଏକ ସଂଭ୍ରାନ୍ତ ପରିବାରର ଜନୈକା ଫ୍ରାନ୍ସ ଯୁବତୀ ସ୍ୱାମିଜୀଙ୍କ ବ୍ୟକ୍ତିତ୍ୱ ତଥା ତେଜସ୍ୱିତାରେ ମୁଗ୍ଧହୋଇ ତାଙ୍କୁ ଏକାନ୍ତରେ ସାକ୍ଷାତ କରିବାକୁ ସମୟ ମାଗିଲେ । ସାକ୍ଷାତର
ଅନୁମତି ପାଇବା ପରେ ଅତି ଆଶ୍ଚର୍ଯ୍ୟଜନକ ଭାବେ ସ୍ୱାମିଜୀଙ୍କୁ ବିବାହ କରିବା ନିମନ୍ତେ ନିଜର ଇଚ୍ଛା ପ୍ରକାଶ କଲେ । ସ୍ୱାମିଜୀ ଯୁବତୀଙ୍କ ଏଭଳି ଏକ ଅବିବେକିତାପୂର୍ଣ୍ଣ ଓ ଦୁଃସାହସରେ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ନିଜର ପ୍ରତିକ୍ରିୟାକୁ ଚାପି ରଖି ଧୈର୍ଯ୍ୟ, ସଂଯତ ଭାବରେ ଯୁବତୀଙ୍କୁ ପ୍ରଶ୍ନ କଲେ- ମୋତେ କାହିଁକି ବିବାହ କରିବାକୁ ଚାହୁଁଛନ୍ତି ମୁଁ ଆପଣଙ୍କ ଭଳି ତେଜସ୍ୱୀ, ଅପୂର୍ବ ବ୍ୟକ୍ତିତ୍ୱ ସଂପନ୍ନ ପୁଅଟିଏ ଚାହୁଁଛି- ଯୁବତୀ କହିଲେ । ଏହା ଶୁଣିବାମାତ୍ରେ ସ୍ୱାମିଜୀ କହିଲେ- ଆପଣ ତ, ମୋତେ ପୁଅ ବୋଲି ସ୍ୱୀକାର କରିସାରିଲେଣି । ଏହି ଦୃଷ୍ଟିରୁ ମୋର ମା' ଅଟନ୍ତି ।' ଏହା ଶୁଣିଲା ମାତ୍ରେ ଯୁବତୀ ହତବାକ୍ ହୋଇଗଲେ । ସ୍ୱାମିଜୀଙ୍କ ଏହି ଉକ୍ତିରେ ତାଙ୍କର ଆଖି ଖୋଲିଗଲା । ଭାରତୀୟ ସଂସ୍କୃତିର ଉଚ୍ଚ ଆଦର୍ଶବୋଧ, ନୈତିକତା ନିକଟରେ ନତମସ୍ତକ ହେବାସହ ସ୍ୱାମିଜୀଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କଲେ । ଭାରତ ବର୍ଷର ଏହି ତପୋନିଷ୍ଠ ସନ୍ଥ ନିଜ ଉଚ୍ଚ ବିଚାରବୁଦ୍ଧି, ନୈତିକତା ଉଚ୍ଚ ବିଚାରଧାରା ମାଧ୍ୟମରେ ଆଧ୍ୟାତ୍ମିକ କ୍ଷେତ୍ରରେ ଏକ ମହାନ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିଲେ ଆଦର୍ଶବାଦୀ ଚିନ୍ତାନାୟକ, ମହାମନୀଷୀମାନଙ୍କର ଉପଦେଶ ଏହିଭଳି ଅମୂଲ୍ୟ ହୋଇଥାଏ ସର୍ବଦା । ଜୀବନରେ ସଂଯମ ଓ ସଦାଚାରରର ମହତ୍ତ୍ୱ ଢ଼େର ଅଧିକ । ମର୍ଯ୍ୟାଦାହୀନ, ଉଚ୍ଛୃଙ୍ଖଳ ଜୀବନ ନୈତିକ ଏବଂ ଚାରିତ୍ରିକ ସ୍ଖଳନ ପଥରେ ନେଇଯାଇଥାଏ । ସାଂପ୍ରତିକ ସମୟରେ ଧନର ମହତ୍ତ୍ୱ ବଢ଼ିବାସହ ଜୀବନର ପ୍ରତିସ୍ତରରେ ବିଳାସିତା ବଢ଼ିଚାଲିଛି ଯାହା ନୈତିକ ଅବକ୍ଷୟ ବୃଦ୍ଧିର ମୁଖ୍ୟ କାରଣ ହୋଇ ଉଭା ହୋଇଛି । ଏହି କାରଣରୁ ଧର୍ମ ପରିବର୍ତ୍ତେ ଅଧର୍ମ ବଢ଼ୁଛି । ଉପଭୋକ୍ତାବାଦୀ ସଂସ୍କୃତିର ଦ୍ରୁତବିକାଶ ହେଉଛି, କିନ୍ତୁ ବ୍ୟକ୍ତିଗତ ଭାବରେ ଚରିତ୍ର ନିର୍ମାଣ ଦିଗରେ ଆଦୌ ଧ୍ୟାନ ଦିଆଯାଉନାହିଁ । ଭୋଗବାଦୀ ସଂସ୍କୃତି ସମ୍ପୂର୍ଣ୍ଣ ବିଶ୍ୱର ବାତାବରଣକୁ ବଦଳାଇ ଦେଇଛି । ଫଳରେ ସାଧାରଣ ଜୀବନ ବିଶୃଙ୍ଖଳିତ ହେବାସହ ମାନବୀୟ ମୂଲ୍ୟବୋଧର ଅବକ୍ଷୟ ଘଟିଛି । ଏହାର ଫଳସ୍ୱରୂପ ନାନାଦି, ବ୍ୟାଧି, ବ୍ୟଭିଚାର, ହିଂସା, ବିଳାସିତା ଏବଂ ସଂସ୍କାରହୀନତା କ୍ରମଶଃ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ବର୍ତ୍ତମାନର ଜୀବନକୁ ସୁସଂସ୍କାର ସଂପନ୍ନ ଓ ସମୁନ୍ନତ କରିବା ନିମନ୍ତେ ପ୍ରଚାର ହେବା ଆବଶ୍ୟକ । ଏହା ଫଳରେ ଜୀବନ ଉଦ୍ବେଗହୀନ, ଶାନ୍ତିପୂର୍ଣ୍ଣ ତଥା ଆନନ୍ଦମୟ ହେବ ।