21-Jan-2022
ପଞ୍ଚାୟତ ନିର୍ବାଚନକୁ ନେଇ ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ଭୋଟରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଆଗ୍ରହ ଉତ୍କଣ୍ଠା ବଢିବାରେ ଲାଗିଛି । ପଞ୍ଚାୟତ ନିର୍ବାଚନରେ ଯେତିକି ମଜା ଓ ଆନନ୍ଦ ରହିଛି ଅନ୍ୟ କୌଣସି ନିର୍ବାଚନରେ ଏଭଳି ଦେଖିବାକୁ ମିଳେ ନାହିଁ । ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏବେଠୁଁ ସକ୍ରିୟ ରାଜନୈତିକ ଦଳ ଗୁଡିକ । ନିଜର ରଣନୀତି ପ୍ରସ୍ତୁତ କରିବା, ନିର୍ବାଚନ ପାଇଁ ଖସଡା ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି । ନୂଆବର୍ଷର ଆଗମନକୁ ସ୍ୱାଗତ କରିବା ପାଇଁ ଛକ ବଜାର ଉପରେ ମାଳ ମାଳ ପୋଷ୍ଟର ବ୍ୟାନର ଟଙ୍ଗାଗଲାଣି । ନିର୍ବାଚନ ପୂର୍ବରୁ ଆଶୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବ୍ୟାନର ଟାଙ୍ଗିବାର ମୂଳ ଲକ୍ଷ୍ୟ ନିଜ ନାମକୁ ସାଧାରଣରେ ଉପସ୍ଥାପନ କରିବା ଯେ ମୁଁ ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଯାଉଛି । ଏବେଠୁଁ ଲୋକମାନେ ମୋର ମୁହଁ ବ୍ୟାନରରେ ଦେଖନ୍ତୁ । ରାଜ୍ୟରେ ଶାସକ ଦଳର ନେତାଙ୍କଠାରୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ତତ୍ପର । ୧ ନଂ ମୁଖ୍ୟମବୀଙ୍କ ପରି ନିର୍ବାଚନରେ ଆମ ଦଳକୁ ଜିତାଇ ଆମେ ୧ ନଂ ହେବୁ ।
ବର୍ତ୍ତମାନ ଦେଖିବାକୁ ମିଳୁଛି ବହୁ ଦିନ ପୂର୍ବରୁ ପଞ୍ଚାୟତରେ ଯେଉଁ କାମ ହୋଇପାରିନଥିଲା କି ଅଧା ହୋଇ ପଡିରହିଥିଲା ସେ କାର୍ଯ୍ୟ ଯୁଦ୍ଧକାଳିନ ଭିତ୍ତିରେ କରାଯାଉଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାର ଗୋଟେ ବଡ ନିଷ୍ପତି ନେଇଥିବା ଏବେ ପ୍ରଚାର ହେଉଛି । ପାଖା ପାଖି ୫ ହଜାର କୋଟି ଟଙ୍କାର ଏକ ବଡ ବଜେଟ ପ୍ରସ୍ତୁତ ହୋଇ ଏହା ଉପରେ କାର୍ଯ୍ୟ ଆରମ୍ଭ ହୋଇଛି । ଅପହଂଚ ଇଲାକାକୁ ଯୋଡିବା ପାଇଁ ୫୫୦ ସେତୁ ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଛି । ୨୩୦୦ କି.ମି. ରାସ୍ତା ନିର୍ମିତ ହୋଇ ୭୦ ଟି ଅଂଚଳକୁ ସଂଯୋଗ କରାଯିବ । ଆନ୍ତଃଜିଲ୍ଲା, ଆନ୍ତଃବ୍ଲକ, ବଡ ବଡ ଗାଁ ମଧ୍ୟରେ ରାସ୍ତାର ବିକାଶ ଘଟିବ । ପୁରୁଣା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ଚଉଡା କରି ଯାତୀୟ ରାଜପଥ ଭଳି ଭ୍ରମ ସୃଷ୍ଟି କରିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ସବୁର ଭିତିରି ଉଦ୍ଦେଶ୍ୟ ହେଉଛି ଭୋଟରଙ୍କୁ ଆକୃଷ୍ଟ କରିବା । ଏପରିକି ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗର କଳେବରକୁ ବଦଳାଇ ଦେଇଛନ୍ତି । କିଛି ଦିନ ତଳେ କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତୀୟ ନିଷ୍ପତିରେ ମୋହର ଲାଗିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ରାସ୍ତା ନିର୍ମାଣ କିଭଳି ଠିକ୍ ଭାବରେ ହେବ ସେଥିପାଇଁ ସରକାର ୮ ଟି ନୂଆ ଡିଭିଜନ ଖୋଲିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ପ୍ରତି ସର୍କଲରେ ଗୋଟିଏ ଗୋଟିଏ ଗୁଣବତ୍ତା ଡିଭିଜନ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏଥି ସହିତି ପ୍ରତି ପଂଚାୟତରେ ସ୍ଥାନୀୟ ବିଧାୟକମାନେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବା ସହିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକର ସମୀକ୍ଷା କାର୍ଯ୍ୟ ଆୟୋଜନ କରିବା ସହିତ ସେମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ ପାଇଁ ପ୍ରତିଶୃତି ମଧ୍ୟ ଦେଇ ଚାଲିଛନ୍ତି ।
ବିଧାୟକମାନେ ଗତ କିଛି ଦିନ ତଳେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳରେ ଶିଳାନ୍ୟାସ ଓ ଶୁଭ ଉଦ୍ଘାଟନ
ଶେଷ କରିଛନ୍ତି । ଏହାର ଭିତିରି ଉଦ୍ଦେଶ୍ୟ ହେଉଛି ଆଗକୁ ପଂଚାୟତ ନିର୍ବାଚନ । ସରକାରଙ୍କ ବିଭିନ୍ନ ଯୋଜନାକୁ କିଭଳି ଜନସାଧାରଣଙ୍କ ନିକଟରେ ପହଂଚାଇ ସେମାନଙ୍କର ଆସ୍ଥାଭାଜନ ହେବା ସହିତ ସେମାନଙ୍କଠାରୁ ଭୋଟ ହାତେଇବେ ସେଥିପାଇଁ ପଞ୍ଚାୟତର ସରପଂଚଙ୍କଠାରୁ ଆରମ୍ଭ କରି ଠିକାଦାର ଓ କର୍ମୀ ପର୍ଯ୍ୟନ୍ତ ସମସ୍ତେ ତତ୍ପର । ଏବେଠୁଁ ଭୋଜି ଭାତର ଆସର ଜମିଲାଣି । ସଂଧ୍ୟାରେ ମଦ ଦୋକାନରେ ଭିଡ ଜମିବା ସହିତ ଚୋରା ମଦ କାରବାର ବୃଢିବାରେ ଲାଗିଲାଣି । କର୍ମୀମାନେ ବିଭିନ୍ନ ପ୍ରାର୍ଥୀଙ୍କ ପଛରେ ଗୋଡେଇ ସେମାନଙ୍କଠାରୁ ଚାନ୍ଦା କରିବାରେ ଲାଗିଲେଣି । ଏଣୁ ଯଦି ଏହିଭଳି ଭାବରେ ପଂଚାୟତ ନିର୍ବାଚନ ୫ ବର୍ଷ ନହୋଇ ପ୍ରତିବର୍ଷ ହୁଅନ୍ତା ତେବେ କର୍ମୀଠାରୁ ଭୋଟରଙ୍କ ପର୍ଯ୍ୟନ୍ତ ସମସ୍ତେ ଲାଭରେ ରୁହନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି । ଅପରପକ୍ଷରେ କେତେକ ପଂଚାୟତରେ ଶାସକ ଦଳ ସମର୍ଥୀତ ସରପଂଚ ଓ କର୍ମୀଙ୍କ ପାଇଁ ସ୍ଥାନୀୟ ନେତା ବଦ୍ନାମ ହେଉଥିବା ବି ଆଲୋଚନା ହେଉଛି । ପଂଚାୟତ ନିର୍ବାଚର ନିରପେକ୍ଷତାକୁ ନେଇ ଏବେ ବି ସନ୍ଦେହରେ ବୁଦ୍ଧିଜୀବୀ । ପ୍ରଶାସନର ଅଙ୍କୁଶ ନାହିଁ । ଶାସକ ଦଳଙ୍କ କଥାରେ ପ୍ରଶାସନ ପରିଚାଳିତ । ପଂଚାୟତ ନିର୍ବାଚନ ଏକ ଫାର୍ସରେ ପରିଣତ ହୋଇଛି । ଯାହାକେବେ ଭବିଷ୍ୟତ ପାଇଁ ଶୁଭ ସୂଚନା ନୁହେିଁ । ଏବେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବାକୁ ଆରମ୍ଭ କଲେଣି । ସରକାରୀ ନିୟମକୁ ପାଳନ କରିବାକୁ ପ୍ରାର୍ଥୀଙ୍କ ନିକଟରେ ସମୟ ନାହିଁ ପ୍ରଶାସନ ବି ଚୁପ୍ । କୋଭିଡ୍ ନିୟମ କଟକଣା ସବୁ ଫାଇଲ ଭିତରେ । କାର୍ଯ୍ୟକାରୀ କରୁଛି କିଏ ? ପଞ୍ଚାୟତ ନିର୍ବାଚନରେ କର୍ମୀ ସମାବେଶ ହେବ, ଭୋଜିଭାତ ହେବ, ମଦର ସୁଅ ଛୁଟିବ, ପ୍ରଚାର ହେବ, କୌଣସି ଦଳ ଏହା ବିରୁଦ୍ଧରେ ସ୍ୱର ଉଠାଇବେ ନାହିଁ । ପଂଚାୟତ ନିର୍ବାଚନକୁ ନେଇ ଏବେଠୁଁ କର୍ମୀଠାରୁ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସାହ ବଢିବାକୁ ଲାଗିଛି । ଚାହା ଦୋକାନରେ ଚର୍ଚ୍ଚା ହେଉଛି ଯେ ଏମିତି ପଞ୍ଚାୟତ ନିର୍ବାଚନ ଆସନ୍ତା କି ? ମନ ମଉଜ ସାଙ୍ଗକୁ ପକେଟ ବି ଗରମ ହୋଇଯାଆନ୍ତା । କର୍ମୀ ଓ ଭୋଟର କେବେ ଚିନ୍ତା କରୁନାହାଁନ୍ତି ନିର୍ବାଚନ ସରିଗଲା ପରେ ୫ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ କଥା ଶୁଣିବାକୁ ଜନପ୍ରତିନିଧି ମୁହଁ ମୋଡି ଦେବେ । ଏଣୁ ନିରପେକ୍ଷ ହୋଇ ବିନା ଲାଞ୍ଚରେ ଭୋଟ ଦେବାକୁ ଯଦି ଭୋଟରମାନେ ସଚେତନ ହେବେ ତେବେ ପରିସ୍ଥିତି ସୁଧୁରିବ । ନଚେତ୍ ନିର୍ବାଚନ ପରେ ସବୁ ଅବ୍ୟବସ୍ଥା ପାଇଁ ଭୋଟରମାନେ ହିଁ ପ୍ରତ୍ୟେକ ଓ ପରୋକ୍ଷରେ ଦାୟୀ ରହିବେ ।
ବିବେକାନନ୍ଦ ଦାସ
ଝାଡେଶ୍ୱରପୁର, ମାହାଙ୍ଗା, କଟକ
ମୋ : ୯୯୩୮୮୮୨୪୯୪