29-Sep-2025
କରୁର: ତାମିଲନାଡ଼ୁର କରୁରରେ ତାମିଲାଗା ଭେଟ୍ଟ୍ରି କାଜାଗମ୍ (ଟିଭିକେ) ଦଳର ମୁଖ୍ୟ ବିଜୟଙ୍କ ରାଲିରେ ହୋଇଥିବା ଦଳାଚକଟା ଘଟଣାରେ ମୃତ୍ୟୁସଂଖ୍ୟା ୪୦କୁ ବୃଦ୍ଧି ପାଇଛି। ହସ୍ପିଟାଲ୍ରେ ଆହୁରି ୬୭ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। ବିଜୟଙ୍କ ରାଜନୈତିକ ରୢାଲିରେ କାହିଁକି ଏତେବଡ଼ ଦଳାଚକଟା ଘଟିଲା ତାକୁ ନେଇ ଖୋଳତାଡ଼ ଚାଲିଛି।ବିଜୟ କାର୍ଯ୍ୟକ୍ରମ ସ୍ଥଳରେ ବହୁ ବିଳମ୍ବରେ ପହଞ୍ଚିବା ଏବଂ ଦଳ ପକ୍ଷରୁ କାର୍ଯ୍ୟକ୍ରମ ଠିକ୍ ଭାବେ ପରିଚାଳନା କରାଯାଇ ନଥିବାରୁ ଦଳାଚକଟା ସ୍ଥିତି ଉପୁଜିଲା ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଦଳାଚକଟା ପଛରେ ଡିଏମ୍କେର ଷଡ୍ଯନ୍ତ୍ର ରହିଛି ବୋଲି ଟିଭିକେ ଅଭିଯୋଗ କରିଛି। ମାମଲାର ତଦନ୍ତ ପାଇଁ ଏକ ଏସ୍ଆଇଟି ଗଠନ କରାଯାଉ କିମ୍ବା ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଟିଭିକେ ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ କରିଛି। ଏହି ଆବେଦନ ଉପରେ ଶୁଣାଣି ହେବ। ଟିଭିକେ ନ୍ୟାୟିକ ଶାଖାର ରାଜ୍ୟ ସଂଯୋଜକ ଅରିଭଜଗନ୍ କହିଛନ୍ତି, ଏହି ଘଟଣା ପଛରେ ଏକ ଆପରାଧିକ ଷଡ୍ଯନ୍ତ୍ର ରହିଛି। ତେଣୁ ମାମଲାର ତୁରନ୍ତ ତଦନ୍ତ ପାଇଁ ଆମେ ଅନୁରୋଧ କରିଛୁ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୃତକଙ୍କ ପିଛା ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପିଛା ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଟିଭିକେ ସଭାପତି ବିଜୟ ମୃତକଙ୍କ ପିଛା ୨୦ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ବିଜୟ କହିଛନ୍ତି, ଏହି ଘଟଣା ମତେ ଗଭୀର ଭାବେ ମର୍ମାହତ କରିଛି। ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ମଧ୍ୟ ମୃତକଙ୍କ ପାଇଁ ୧୦ ଲକ୍ଷ ଏବଂ ଆହତଙ୍କ ପାଇଁ ୧ ଲକ୍ଷ କ୍ଷତିପୂରଣ ଘୋଷଣା କରିଥିଲେ। ଦଳାଚକଟା ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଉକ୍ତ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କଠାରୁ ଏକ ରିପୋର୍ଟ ମାଗିଛନ୍ତି।
ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।