30-Sep-2025
ଓଟାୱା:କାନାଡା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗକୁ ଏକ ଆତଙ୍କବାଦୀ ଗୋଷ୍ଠୀ ଭାବରେ ଘୋଷଣା କରିଛି। ଦେଶର କନଜରଭେଟିଭ ଏବଂ ଏନଡିପି ନେତାଙ୍କ ଦାବି ପରେ କାନାଡ଼ା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କାନାଡା ସରକାର କହିଛନ୍ତି ଯେ ଏହି ଗ୍ୟାଙ୍ଗ ଭାରତରେ ଅବସ୍ଥିତ ଏବଂ ଏହାର ନେତା ଜେଲରେ ଥିବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରି ଅପରାଧ କରେ।ଆତଙ୍କବାଦୀ ସଂଗଠନ ଘୋଷଣା ପରେ କାନାଡା ସରକାର ଏବେ ଗ୍ୟାଙ୍ଗର ସମ୍ପତ୍ତି ଜବତ କରିପାରିବେ ଏବଂ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରିପାରିବେ।ଏହାର ମୁଖ୍ୟ ଲରେନ୍ସ ବିଷ୍ଣୋଇଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ଜେଲ ଭିତରେ ରହି ମୋବାଇଲ ଫୋନ ଜରିଆରେ ଗ୍ୟାଙ୍ଗର ଗତିବିଧିକୁ ନିୟନ୍ତ୍ରଣ କରୁଛନ୍ତି। କାନାଡ଼ା ସରକାର ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ, ଏହି ଗ୍ୟାଙ୍ଗ ହତ୍ୟା, ଗୁଳିକାଣ୍ଡ ଭଳି ଅନେକ ଅପରାଧରେ ସାମିଲ ରହିଛି। ବିଶେଷ କରି କାନାଡ଼ାରେ ରହୁଥିବା ମୂଳ ଭାରତୀୟ, ସେମାନଙ୍କ ବ୍ୟବସାୟ ଏବଂ ସାଂସ୍କୃତିକ ପରିଚୟକୁ ଟାର୍ଗେଟ କରୁଛି।ଗତ ବର୍ଷ, କାନାଡା ପୁଲିସ ଦାବି କରିଥିଲା ଯେ ଭାରତ କାନାଡାରେ ଖଲିସ୍ତାନ ସମର୍ଥକମାନଙ୍କୁ ହତ୍ୟା ଏବଂ ଭୟଭୀତ କରିବା ପାଇଁ ଏହି ଗ୍ୟାଙ୍ଗକୁ ବ୍ୟବହାର କରିଥିଲା। ଭାରତ ଏହାକୁ ଅସ୍ୱୀକାର କରିଥିଲା ଏବଂ କହିଛି ଯେ ଏହା ଗ୍ୟାଙ୍ଗର ପାଣ୍ଠି ବନ୍ଦ କରିବା ପାଇଁ କାନାଡା ସହିତ କାମ କରୁଛି।କାନାଡା ସରକାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ କାନାଡାରେ ଆତଙ୍କବାଦ ଏବଂ ହିଂସାର କୌଣସି ସ୍ଥାନ ନାହିଁ। କାନାଡା ମନ୍ତ୍ରୀ ଗ୍ୟାରି ଆନନ୍ଦସଙ୍ଗରୀ କହିଛନ୍ତି ଯେ ପ୍ରତ୍ୟେକଙ୍କର ନିଜ ଘର ଏବଂ ସମାଜରେ ସୁରକ୍ଷିତ ଅନୁଭବ କରିବାର ଅଧିକାର ଅଛି। ଏହି ନିଷ୍ପତ୍ତି ବିଷ୍ନୋଇ ଗ୍ୟାଙ୍ଗକୁ ରୋକିବାରେ ସାହାଯ୍ୟ କରିବ।
ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।