30-Sep-2025
ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ଜନସାଧାରଣ ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବାରୁ ଆୱାମୀ ଆକ୍ସନ କମିଟି (ଏଏସି) ପକ୍ଷରୁ ଶେହବାଜ ସରିଫ ସରକାରଙ୍କ ବିରୋଧରେ ଆନ୍ଦୋଳନ ହୋଇଛି। ଏହି ହିଂସାତ୍ମକ ଆନ୍ଦୋଳନରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨ ଜଣ ଆହତ ହୋଇଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି।ଲୋକଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ କମିଟି ଏକ ଲକଡାଉନ୍ ଘୋଷଣା କରିଥିଲା। ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ଦେଖାଯାଇଛି ଯେ, ଲକ୍ଡାଉନ୍ ମଧ୍ୟରେ ବହୁ ସଂଖ୍ୟାରେ ଲୋକ ସ୍ଲୋଗାନ ଦେଉଛନ୍ତି ଓ ପତାକା ଉଡ଼ାଉଛନ୍ତି। ଏହି ଅଞ୍ଚଳରେ ମୋବାଇଲ୍ ଫୋନ୍, ଲ୍ୟାଣ୍ଡଲାଇନ୍, ଇଣ୍ଟରନେଟ୍ ସେବା ଓ ସୋସିଆଲ୍ ମିଡିଆ ଆଂଶିକ ବନ୍ଦ ରହିଛି। ରିପୋର୍ଟ ଅନୁଯାୟୀ, କମିଟିର ପତାକା ତଳେ ନାଗରିକ ସମାଜ ସଂଗଠନଗୁଡ଼ିକ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛନ୍ତି।ଧର୍ମଘଟ ପୂର୍ବରୁ ପିଓକେ ସରକାର ତଥା ଶେହବାଜ ସରିଫଙ୍କ ନେତୃତ୍ୱାଧୀନ ପାକିସ୍ତାନ ସରକାର ଏଏସି ସହ ଆଲୋଚନା କରିଥିଲେ। ଜମ୍ମୁ-କାଶ୍ମୀରରୁ ଆସିଥିବା ଶରଣାର୍ଥୀମାନଙ୍କ ପାଇଁ ସଂରକ୍ଷିତ ୧୨ଟି ବିଧାନସଭା ଆସନକୁ ରଦ୍ଦ କରିବାକୁ କମିଟି ଦାବି କରିଛି। ଏଏସିର ଅନ୍ୟାନ୍ୟ ଦାବିଗୁଡ଼ିକ ମଧ୍ୟରେ ସବ୍ସିଡିଯୁକ୍ତ ଅଟା, ମାଙ୍ଗଲା ଜଳ ବିଦ୍ୟୁତ୍ ପ୍ରକଳ୍ପ ସହିତ ଜଡ଼ିତ ଉପଯୁକ୍ତ ବିଦ୍ୟୁତ୍ ଶୁଳ୍କ ଓ ଇସଲାମାବାଦ ଦ୍ୱାରା ପ୍ରତିଶ୍ରୁତି ଦିଆଯାଇଥିବା ଦୀର୍ଘ ବିଳମ୍ବିତ ସଂସ୍କାରକୁ କାର୍ଯ୍ୟକାରୀ କରିବା ଅନ୍ତର୍ଭୁକ୍ତ। ଆକ୍ସନ୍ କମିଟିର ମୁଖ୍ୟ ସଦସ୍ୟ ଶୌକତ ନୱାଜ ମୀର କହିଛନ୍ତି, ଆମେ କୌଣସି ଆଦର୍ଶ କିମ୍ବା ଅନୁଷ୍ଠାନ ବିରୋଧରେ ଅଭିଯାନ ଚଳାଉନାହୁଁ, ବରଂ ଆମ ଲୋକଙ୍କ ଅଧିକାର ପାଇଁ ଲଢ଼େଇ କରୁଛୁ, ଯେଉଁଥିରୁ ସାତ ଦଶନ୍ଧିରୁ ଅଧିକ ସମୟ ଧରି କୌଣସି ନା କୌଣସି ବାହାନାରେ ଆମକୁ ବଞ୍ଚିତ କରାଯାଉଛି।
ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।