03-Oct-2025
ଅହମଦାବାଦ:ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଟିମ୍ ଚମକିଛି। ମହମ୍ମଦ ସିରାଜ ଓ ଜସପ୍ରୀତ ବୁମରା ପ୍ରଶଂସନୀୟ ବୋଲି କରିଛନ୍ତି। ସେହିପରି କେଏଲ୍ ରାହୁଲ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ୱେଷ୍ଟଇଣ୍ଡିଜ ଟିମ୍ ନିଜର ପ୍ରଥମ ପାଳିରେ ମାତ୍ର ୧୬୨ ରନ୍ ସଂଗ୍ରହ କରିପାରିଛି।ଏହା ପରେ ଭାରତ ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ୨ଟି ୱିକେଟ୍ ହରାଇ ୧୨୧ ରନ୍ କରିଛି।ପଡ଼ିଆରୁ ବିଦାୟ ନେବା ବେଳକୁ କେଏଲ୍ ରାହୁଲ ୫୩ ରନ୍ ଓ ଅଧିନାୟକ ଶୁଭମନ ଗିଲ ୧୮ ରନ୍ ଅପରାଜିତ ଅଛନ୍ତି। ଏହା ପୂର୍ବରୁ ଯଶସ୍ବୀ ଜୟସ୍ବାଲ ୩୬ ରନ୍ ଏବଂ ସାଈ ସୁଦର୍ଶନ ୭ ରନରେ ଆଉଟ୍ ହୋଇଥିଲେ। ବୋଲିଂରେ ଭାରତର ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ। ସେହିପରି ଜସପ୍ରୀତ ବୁମରା ୩ଟି ଏବଂ କୁଲଦୀପ ଯାଦବ ୨ଟି ୱିକେଟ୍ ନେଇଥିଲେ।ଜସପ୍ରୀତ ବୁମରା ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଭାରତୀୟ ମାଟିରେ ୫୦ ୱିକେଟ ପୂରଣ କରିଥିଲେ। ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଘରୋଇ ମାଟିରେ ୫୦ ୱିକେଟ୍ ନେଇଥିବା ପ୍ରଥମ ଭାରତୀୟ ଦ୍ରୁତ ବୋଲର ହୋଇଥିଲେ। ତାଙ୍କ ପୂର୍ବରୁ ରବିଚନ୍ଦ୍ରନ୍ ଅଶ୍ୱିନ (୧୪୯ ୱିକେଟ୍) ଏବଂ ରବିନ୍ଦ୍ର ଜାଡେଜା (୯୪ ୱିକେଟ୍) ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଘରୋଇ ମାଟିରେ ୫୦ରୁ ଅଧିକ ୱିକେଟ୍ ନେଇଛନ୍ତି। ତଥାପି, ଉଭୟ ସ୍ପିନର ଥିବାବେଳେ ବୁମରା ପ୍ରଥମ ଦ୍ରୁତ ବୋଲର ହିସାବରେ ଏହି କାରନାମା କରିଛନ୍ତି।
ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।