03-Oct-2025
ଇସଲାମବାଦ:ପାକିସ୍ତାନର ପେଶାୱରରେ ବୋମା ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନେ ସୁରକ୍ଷାକର୍ମୀ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ବିସ୍ଫୋରଣ ଘଟିଥିଲା । ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ପୋଲିସ ଓ ସୁରକ୍ଷା ଅଧିକାରୀଙ୍କୁ ଲକ୍ଷ୍ୟ କରି ବିସ୍ଫୋରଣ କରାଯାଇଥିଲା ।ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବିସ୍ଫୋରକ ଉପକରଣଟି ପୋଲିସ ଭ୍ୟାନ ଯାଉଥିବା ରାସ୍ତାରେ ରଖାଯାଇଥିଲା । ବିସ୍ଫୋରଣରେ ଆହତଙ୍କ ଅବସ୍ଥା ଗୁରୁତର ହୋଇଛି। ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସୁରକ୍ଷା ବାହିନୀ ମୁତୟନ ହେବା ସହ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଘଟଣାକୁ ନେଇ ସିନିଅର ସୁପରିଟେଣ୍ଡେଣ୍ଟ ଅଫ ପୋଲିସ ମସୁଦ ବଙ୍ଗଶ କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି ଏବଂ ପ୍ରମାଣ ଏକାଠି କରାଯାଉଛି।ସୂଚନାଯୋଗ୍ୟ, ସେପ୍ଟେମ୍ବର ୩୦ ତାରିଖରେ ବେଲୁଚିସ୍ତାନର ରାଜଧାନୀ କ୍ୱେଟାରେ ଫ୍ରଣ୍ଟିୟର୍ କର୍ପସ୍ (FC) ମୁଖ୍ୟାଳୟ ନିକଟରେ ବିସ୍ଫୋରଣ ହେବା ଫଳରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୨ ଜଣ ଆହତ ହୋଇଥିଲେ । ବିସ୍ଫୋରଣ ସମୟର ଭିଡିଓ ସିସିଟିଭିରେ ନଜର ଆସିଥିଲା।ବିସ୍ଫୋରଣରେ ଆଖପାଖର ଘର ଏବଂ କୋଠାର ଝରକା ଭାଙ୍ଗି ଯାଇଥିଲା । କିନ୍ତୁ ବିସ୍ଫୋରଣର ପ୍ରକୃତ କାରଣ ଅସ୍ପଷ୍ଟ ଏଯାଏଁ ଜଣାପଡିନାହିଁ।
ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।