22-Jan-2026
ରାଯଗଡ(ବ୍ଯୁରୋ)ସଡ଼କ ସୁରକ୍ଷା ସଚେତନତା ବୃଦ୍ଧି ଏବଂ ସଡ଼କ ବ୍ୟବହାର କାରୀମାନଙ୍କ ମଧ୍ୟରେ ଦାୟିତ୍ୱବୋଧ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଜେକେପୁରସ୍ଥିତ ଜେକେ ପେପର୍ ମିଲ୍ସରେ ୩୭ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଛି। ଏହି ମାସବ୍ୟାପୀ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା ସଡ଼କ ଦୁର୍ଘଟଣା କମାଇବା, ମୃତ୍ୟୁହାର ରୋକିବା ଏବଂ ଯାତାୟାତ ନିୟମ ପାଳନ ପ୍ରତି ସଚେତନତା ବୃଦ୍ଧି କରିବା।
ଏହି ଅବସରରେ ସଡ଼କ ସୁରକ୍ଷା ରେଲି, ଯାତାୟାତ ନିୟମ ସମ୍ବନ୍ଧୀୟ ଡେମୋନଷ୍ଟ୍ରେସନ୍ ଭଳି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ହେଲମେଟ୍ ଓ ସିଟ୍ବେଲ୍ଟ ବ୍ୟବହାର, ମଦ୍ୟପାନ କରି ଯାନ ଚଳାନ ନ କରିବା, ଗତିସୀମା ପାଳନ ଏବଂ ପାଦଚାରୀ ଓ ସାଇକେଲ୍ ଚାଳକଙ୍କ ପ୍ରତି ସମ୍ମାନ ଦେବା ଉପରେ ବିଶେଷ ଜୋର ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଜେକେ ପେପର୍ ମିଲ୍ସର ବାଣିଜ୍ୟ ଉପାଧ୍ୟକ୍ଷ ଶ୍ରୀ ବିଶ୍ୱଜିତ ଦ୍ୱିବେଦୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ସଭାକୁ ସମ୍ବୋଧନ କରିଥିଲେ। ସେ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ନିୟମ କଠୋର ଭାବେ ପାଳନ କରିବାକୁ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ଜଗନ୍ନାଥ ନାଟ୍ୟ କଳା ପରିଷଦ, ଜେକେପୁର ପକ୍ଷରୁ ସଡ଼କ ସୁରକ୍ଷା ଉପରେ ଆଧାରିତ ଏକ ସ୍ଟ୍ରିଟ୍ ପ୍ଲେ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା।
ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ଶ୍ରୀ ସତ୍ୟଜିତ ମହାନ୍ତି, ଜେନେରାଲ୍ ମ୍ୟାନେଜର (EHS)ଙ୍କ ନେତୃତ୍ୱରେ ସମନ୍ୱୟ କରାଯାଇଥିଲା। ସେଥିରେ ସୁରକ୍ଷା ବିଭାଗର ଶ୍ରୀ ରାମାରଞ୍ଜନ ବିଶ୍ୱାଳ, ଶ୍ରୀ ଏସ୍.କେ. ପଟ୍ଟନାୟକ ଓ ଶ୍ରୀ ହର୍ଷରାଜ ସାହୁ ସକ୍ରିୟ ସହଯୋଗ ଦେଇଥିଲେ।